ସହର ବାହାରେ ରହି ଚାକିରୀ କରୁଥିବା ତୁମ ପିତାଙ୍କୁ ଘରର ବିଭିନ୍ନ ସମସ୍ୟା ଜଣାଇ ଏକ ପତ୍ର ଲେଖ |
VC EXPERT
ଚକ୍ରତୀର୍ଥ ରୋଡ଼ , ପୁରୀ
ତା. ୧୫ . ୫ . ୨୦୨୦
ପୂଜନୀୟ ବାପା ,
ପ୍ରଥମେ ମୋର ପ୍ରଣାମ ଗ୍ରହଣ କରିବେ | ଆଶାକରେ ଇଶ୍ୱରଙ୍କ ଦୟାରୁ ଆପଣ ସେଠାରେ କୁଶଳରେ ଥିବେ | ଆମେ ସମସ୍ତେ ମଧ୍ୟ ପ୍ରଭୁଙ୍କ କୃପାରୁ ଏଠାରେ ଭଲରେ ଅଛୁ | ଆପଣଙ୍କ ପତ୍ର ଗତ ସପ୍ତାହରେ ପାଇ ଆମେ ସବୁ କଥା ଜାଣିପାରିଲୁ |
ବାପା ଆପଣ ଲେଖିଛନ୍ତି ଆସନ୍ତା ମାସରେ ଆସି ପାରିବେ ନାହିଁ , କେବଳ ଦରମା ପାଇଲେ ଟଙ୍କା ମନିଅଡର କରି ପଠାଇଦେବେ ବୋଲି | କିନ୍ତୁ ମା' ଓ ମୁଁ ଆପଣଙ୍କ ଆସିବା ବାଟକୁ ଚାହିଁ ରହିଥିଲୁ କରଣ ଘରେ ଛୋଟବଡ ହେଇ ଏପରି କେତୋଟି ସମସ୍ୟା ଦେଖାଦେଇଛି, ଯାହାର ସମାଧାନ ଟଙ୍କା ଦ୍ୱାରା ହୋଇପାରିବ ନାହିଁ , ବରଂ ଆପଣ ଆସିଲେ ସେ ସବୁର ସମାଧାନ ହେବ ବୋଲି ଆମେ ଭାବିଥିଲୁ | ଜାଣିଛନ୍ତି ବାପା, ଆମ ବାଡ଼ିରେ ଯେଉଁ ବଡ ଆମ୍ବ ଗଛଟା ଅଛି, ସେଇଟା କୁଆଡେ ଆମର ପଡୋଶୀ ରାଜୁ ମଉସାଙ୍କର ବୋଲି ସେ ଦାବି କରୁଛନ୍ତି | ଆମେ କହି ଦେଇଛୁ ବାପା ଆସିଲେ ସେ କଥା ବୁଝା ଯିବ | ହଁ ବାପା, ମୋର ନା କେତୋଟି ଜରୁରୀ ବହି କିଣିବାର ଅଛି | ମାଆ କହୁଛନ୍ତି ବାପା ଆସିଲେ ଯାଇ କିଣାହେବ | ଏସବୁ ବ୍ୟତୀତ ଆମ ପିଣ୍ଟୁ ପାଇଁ ଘରେ ବେଶି ଚିନ୍ତା | ଆପଣ ରହୁନଥିବାରୁ ସେ ଭାରି ଚଗଲା ହେଇଯାଇଛି | କାହା କଥା ମାନୁ ନାହିଁ | ମନଦେଇ ପଢାପଢି ମଧ୍ୟ କରୁନାହିଁ | ସ୍କୁଲରେ, ବାହାରେ ଅନ୍ୟ ପିଲାଙ୍କ ସାଙ୍ଗରେ ପ୍ରତିଦିନ କଜିଆ କରି ବଡିଆପିଟା ହେଉଛି | ସବୁଦିନ ବିଭିନ୍ନ ଲୋକ ମାଆଙ୍କ ପାଖକୁ ଆସି ତା'ନାଁରେ ଅଭିଯୋଗ କରୁଛନ୍ତି | ଆମକୁ ବହୁତ ଖରାପ ଲାଗୁଛି |
ଏହିସବୁ କାରଣରୁ ଦିନକ ପାଇଁ ହଉ ପଛେ ଆପଣ ଯଥାଶୀଘ୍ର ଘରକୁ ଆସି ଏସବୁ ବିଷୟରେ ସମାଧାନ ନିମନ୍ତେ ଚିନ୍ତା କରି କିଛି ନା କିଛି ବ୍ୟବସ୍ଥା କରିବେ ବୋଲି ଆଶା କରେ | ହଁ ବାପା, ଆପଣ ଔଷଧ ନିୟମିତ ଖାଉଛନ୍ତି ନା ନାହିଁ ? ମାନେ କରି ଠିକ ସମୟରେ ସବୁଦିନ ଔଷଧ ଖାଇବେ | ଆସନ୍ତା ମାସରେ ଆମ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ହେବ | ଆପଣ ଅନୁମତି ଦେଲେ ମୁଁ ସେଥିରେ ଭାଗ ନେବି ବୋଲି ଭାବୁଛି | ଆଉ ବିଶେଷ କିଛି ଲେଖୁନି | ଶେଷରେ ଆପଣଙ୍କ ଆସିବା ବାଟ ଆମେ ସମସ୍ତେ ଚାହିଁ ରହିଲୁ |
||ଇତି||
ଆପଣଙ୍କର ଅତି ଆଦରର ପୁତ୍ର
ସରୋଜ